ପ୍ରବନ୍ଧ - ଗୁରୁ ଦିବସ - ଦେବବ୍ରତ ବାରିକ




ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର….. 

ଗୁରୁ ସାକ୍ଷାତ୍ ପରଂବ୍ରହ୍ମ.. ତସ୍ମୈ ଶ୍ରୀଗୁରବେ ନମଃ । 


ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରିବାରେ ଗୁରୁ ହିଁ ସାଜନ୍ତି ଆଲୋକବର୍ତ୍ତିକା । କେବେ ଆକଟ ଭରା କଠୋର ଅନୁଶାସନ ତ ପୁଣି କେବେ ତାଙ୍କ ଉତ୍ସାହପ୍ରଦ ପ୍ରେରଣା ଜଣଙ୍କୁ ସାଧାରଣରୁ ଅସାଧାରଣର ମୁକୁଟ ପିନ୍ଧାଏ। ପାଠ ହେଉ କି ସଂଗୀତ । ଖେଳ ହେଉ କି ନୃତ୍ୟ । ପ୍ରତିଟି କ୍ଷେତ୍ରରେ ଗୁରୁଙ୍କର ମାର୍ଗଦର୍ଶନ କୃତି ପ୍ରତିଭାଙ୍କ ପାଇଁ ଆଣି ଦେଇଛି ପ୍ରସିଦ୍ଧି । ଆଜି ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସକୁ ‘ଗୁରୁ ଦିବସ’ ଭାବେ ସାରା ଭାରତ ବର୍ଷରେ ପାଳନ କରାଯାଉଛି । ଶିକ୍ଷା ପ୍ରତି ଡକ୍ଟର ରାଧାକ୍ରିଷ୍ଣନଙ୍କର ଅବଦାନକୁ ମନେ ରଖିବା ପାଇଁ ତାଙ୍କ ଜନ୍ମଦିନକୁ ଗୁରୁ ଦିବସ ଭାବେ ପାଳନ କରାଯାଉଛି ।


ଡକ୍ଟର ରାଧାକ୍ରିଷ୍ଣନ ଏକାଧାରରେ ଜଣେ ଶିକ୍ଷକ, ଶିକ୍ଷାବିତ୍, ଦାର୍ଶନିକ ଓ କୁଟନୀତିଜ୍ଞ ଭାବେ ବେଶ ଖ୍ୟାତି ଅର୍ଜନ କରିଥିଲେ । ୧୮୮୮ ସେପ୍ଟେମ୍ବର ୫ ତାରିଖରେ ତାମିଲନାଡୁର ତିରୁଟ୍ଟନୀଠାରେ ଜନ୍ମଗ୍ରହଣ କରିଥିଲେ ଏହି ମହାନ ବ୍ୟକ୍ତିତ୍ୱ । ରାଧାକ୍ରିଷ୍ଣନଙ୍କ ଶୈଶବ ତିରୁଟ୍ଟନୀ ଓ ତିରୁପତିରେ କଟିଥିଲା ଏବଂ ତାଙ୍କର ପାଠପଢା ଆରମ୍ଭ ହୋଇଥିଲା ଖ୍ରୀଷ୍ଟିଆନ୍ ମିସନାରି ସ୍କୁଲରେ । ଉଚ୍ଚ ଶିକ୍ଷା ପରେ, ୧୯୦୯ରେ ରାଧାକ୍ରିଷ୍ଣନଙ୍କୁ ମାଡ୍ରାସ ପ୍ରେସିଡେନ୍ସି ମହାବିଦ୍ୟାଳୟରେ ଦର୍ଶନ ବିଭାଗର ଅଧ୍ୟାପକ ଭାବେ ନିଯୁକ୍ତି ମିଳିଥିଲା । ଏହାପର ଠାରୁ ରାଧାକ୍ରିଷ୍ଣନ ମୁଖ୍ୟତଃ ଭାରତୀୟ ଦର୍ଶନ ଶାସ୍ତ୍ର ଏବଂ ଧର୍ମଶାସ୍ତ୍ର ଅଧ୍ୟୟନରେ ନିଜକୁ ନିୟୋଜିତ ରଖିଥିଲେ ।୧୯୧୮ରେ ରାଧାକ୍ରିଷ୍ଣନ ମହିଶୂର ବିଶ୍ୱବିଦ୍ୟାଳୟରେ ଦର୍ଶନ ବିଭାଗର ପ୍ରଫେସର ଭାବେ ନିଯୁକ୍ତ ହୋଇଥିଲେ । ତାହାପରେ କଲିକତା ବିଶ୍ୱବିଦ୍ୟାଶୟ, ଲଣ୍ଡନର ହାର୍ଭାଡ୍ ବିଶ୍ୱବିଦ୍ୟାଳୟ, ମାଞ୍ଚେଷ୍ଟର ବିଶ୍ୱବିଦ୍ୟାଳୟ ଓ ଶେଷରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ । ଶିକ୍ଷକ-ଜୀବନରେ ସେ ଭାରତୀୟ ଦର୍ଶନ, ଧର୍ମ-ଦର୍ଶନ, ତୁଳନାତ୍ମକ ଧର୍ମ-ଦର୍ଶନ ଓ ନୀତିଶିକ୍ଷା ଆଦିରେ ଶିକ୍ଷାଦାନ କରିଥିଲେ।


‘ଶ୍ରୀମଦଭଗବତଗୀତା’କୁ ଇଂରାଜୀରେ ଅନୁବାଦ କରିଥିଲେ ରାଧାକ୍ରିଷ୍ଣନ । ବେଦ ଓ ଉପନିଷଦକୁ ଅତି ସୁନ୍ଦର ଭାବରେ ବ୍ୟାଖ୍ୟା କରୁଥିଲେ ସେ । ଖାଲି ସେତିକି ନୁହେଁ ରାଧାକ୍ରିଷ୍ଣନ ସତ୍ୟାନୁରାଗୀ ଓ ସଦାଚାରୀ ବି ଥିଲେ । ୧୯୪୯ରେ ସୋଭିଏତେ ରଷିଆକୁ ଭାରତୀୟ ରାଷ୍ଟ୍ରଦୂତ ଭାବେ ପ୍ରେରିତ ହୋଇଥିଲେ ଏବଂ ୧୯୫୪ରେ ତାଙ୍କୁ ପ୍ରଦାନ କରାଯାଇଥିଲା ସମ୍ମାନଜନକ ଭାରତ ରତ୍ନ।


ଆଜି ସେହି ମହାନ ଜନନାୟକଙ୍କ ଉଦ୍ଦେଶ୍ୟରେ ଦେଶବାସୀ ପାଳୁଛନ୍ତି ପବିତ୍ର ‘ଗୁରୁ ଦିବସ’ ଏବଂ ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀମାନେ ଗୁରୁଙ୍କୁ ଦେବତୁଲ୍ୟ ଭାବେ ପୂଜାର୍ଚ୍ଚନା କରିଛନ୍ତି ।


ଦେବବ୍ରତ ବାରିକ

ସମ୍ପାଦକ - ପ୍ରୀତି ପ୍ରଣତି 

ଆନନ୍ଦପୁର, କେନ୍ଦୁଝର

Post a Comment

0 Comments